ସ୍ନାନ ବେଦୀରେ କାଳିଆ ସାଆନ୍ତ ୧୧ ଜୁନ ୨୦୨୫ (ବୁଧବାର)
ପ୍ରକାଶନ ସମୟ: ୧୧ ଜୁନ ୨୦୨୫ (ବୁଧବାର) , ମଧ୍ୟାହ୍ନ 4:00
ଲେଖକ: ଓଡ଼ିଆନ୍ୟୁଜ୍.କୋ.ଇନ୍ ବ୍ୟୁରୋ ନିଜଭାଷାରେ ଖବର, ନିଜ ମାଟିର ସ୍ୱର ।
ସ୍ନାନ ପୂର୍ଣିମା : ଶ୍ରୀମନ୍ଦିରର ଏକ ଦିବ୍ୟ ଅନୁଷ୍ଠାନ
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ସ୍ନାନଯାତ୍ରା ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରେ। ସ୍ନାନ ମଣ୍ଡପରେ ପତିତମାନଙ୍କୁ ଦର୍ଶନ ଦେଉଥିବାରୁ ଏହାକୁ ମଧ୍ୟ ପତିତପାବନ ଯାତ୍ରା କୁହାଯାଏ। ଏହି ଦିନ ମହାରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦେଶ ପାଇ ବାଙ୍କିମୁହାଣରୁ ଦାରୁ ସଂଗ୍ରହ କରି ଗୁଣ୍ଡିଚା ଉଆସର କୋଠରୀରେ ଅବସ୍ଥାପିତ କରି ବିଶ୍ୱକର୍ମାଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିବାର ପୌରାଣିକ ମତବାଦ ରହିଛି। ତେଣୁ ଏହି ଦିନଟି ମହାପ୍ରଭୁଙ୍କ ଆବିର୍ଭାବ ଦିବସ ଭାବେ ପରିଗଣିତ।
ଜ୍ୟଷ୍ଠ ମାସ ପୂର୍ଣ୍ଣିମା ତିଥିରେ ପବିତ୍ର ନୀଳାଚଳ ଧାମରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ହୋଇଥିବାରୁ ଠାକୁରଙ୍କ ଜନ୍ମଦିବସ ରୂପେ ଦେବସ୍ନାନ ମହୋତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ପବିତ୍ର ସ୍ଵର୍ଣ୍ଣ କୂପର ୧୦୮ କଳସୀ ସୁବାସିତ ଜଳରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଠାକୁର ମାନଙ୍କୁ ସ୍ନାନ କରାଇଥିଲେ। ବିଶ୍ଵାସ ରହିଛି ଯେ, ଏହି ଦିନ ସକଳ ପୂର୍ଣ୍ଣତୋୟା ତୀର୍ଥଜଳ ସମୂହ ନୀଳାଚଳ ଧାମସ୍ଥ ପବିତ୍ର ସ୍ଵର୍ଣ୍ଣ କୂପରେ ଆବିର୍ଭାବ ହୋଇଥାନ୍ତି ଓ ଦେବସ୍ନାନ ପରେ ଆତ୍ମ ତୃପ୍ତି ପାଇ ବାହୁଡି ଯାଆନ୍ତି। କେବଳ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵରେ ମା’ ଶୀତଳାଙ୍କ ସମ୍ମୁଖସ୍ଥ ସର୍ବପୁରାତନ ସ୍ଵର୍ଣ୍ଣକୂପର ଆଭ୍ୟନ୍ତର ପରିଷ୍କାର କରାଯାଇ ତା’ର ଜଳରେ ଅଷ୍ଟଗନ୍ଧ, କୃଷ୍ଣାଗୁରୁ, ଉଶୀର, ଗୋରଚନା, ଦେବଦାରୁ, ସୁଧା, ହରିତାଳ, ବହାଡା, ଆମଳକୀ, ମଞ୍ଜିଷ୍ଠା, ତାମ୍ରପର୍ଣ୍ଣି, ସୋମପର୍ଣ୍ଣି ଓ ଲୋଦଧି ପ୍ରଭୃତି ମହୌଷଧି ମିଶ୍ରଣ ଓ ଜଳ ଅଭିମନ୍ତ୍ରଣ କରାଯାଏ। ଦେବୀ ଶୀତଳା ଓ ବାହାନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସ୍ଵର୍ଣ୍ଣକୂପ ଅବସ୍ଥିତ। ଏହା ପ୍ରାଣିତା କୂପ ନାମରେ ସୁବିଖ୍ୟାତ। ଏହି କୂପର ରକ୍ଷକ ଅଷ୍ଟଧାତ୍ରୀ ହେଉଛନ୍ତି ମାଆ ଶୀତଳା।
ସୁନା ଗୋସ୍ଵାମୀ, ମୁଦିରଖ ଓ ଗରାବଡୁ ସେବକମାନେ ଶ୍ରୀମନ୍ଦିର ସୁନାକୂପରୁ ୧୦୮ ଗଡୁ ଅଭିମନ୍ତ୍ରିତ ମହୌଷଧି ଜଳ ଅଧିବାସ ଗୃହକୁ ବିଜେ କରାଇବା ପରେ ଏଥିରେ ଚନ୍ଦନ କର୍ପୁର, କେଶର ଓ ଚୁଆ ମିଶ୍ରଣ କରାଯାଏ। ପୂଜାପଣ୍ଡାମାନେ ଏହି ସୁବାସିତ ଜଳକୁ ସଂସ୍କାର କରନ୍ତି। ଏଥିରେ ଗୋଟିଏ ଲେଖାଏଁ ନଡିଆ ଓ ନୂଆ କରିଆ ରଖାଯାଏ। ଏହାପରେ ସେବାୟତ ମାନେ ଏହି ପବିତ୍ର ସୁବାସିତ ଜଳକୁ ରୂପା ପିଙ୍ଗଣରେ ନେଇ ଜୀଉମାନଙ୍କୁ ସ୍ନାନ କରାନ୍ତି। ଶ୍ରୀ ବଳଭଦ୍ରଙ୍କୁ ୩୩ ଗଡୁ, ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡୁ, ସୁଭଦ୍ରାଙ୍କୁ ୨୨ ଗଡୁ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳରେ ସ୍ନାନ କରାଯାଏ।
ସ୍ନାନ ପରେ ଗୋପାଳ ତୀର୍ଥ ମଠରୁ ଆସିଥିବା ଦୁଇ ବାଡ଼ ଓ ରାଘବ ଦାସ ମଠରୁ ଆସିଥିବା ଦୁଇ ବାଡ଼ ଉପକରଣରେ ଯଥାକ୍ରମେ ‘ବଳଭଦ୍ର ଓ ସୁଦର୍ଶନ’ ଓ ‘ଜଗନ୍ନାଥ ଓ ସୁଭଦ୍ରା’ଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ। ଏହି ବେଶରେ ଶ୍ରୀବଳଭଦ୍ର ଧବଳ ବେଶରେ ଓ ଶ୍ରୀଜଗନ୍ନାଥ କଳାଗଣେଶ ରୂପରେ ଶୋଭାପାଆନ୍ତି।

ଏହି ବେଶ ପଶ୍ଚାତ୍ରେ ଏକ ସୁନ୍ଦର କିମ୍ବଦନ୍ତୀ ନିହିତ ରହିଛି। ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ଶ୍ରୀ ଗଣପତି ଭଟ୍ଟ ନାମକ ଜଣେ ଯାତ୍ରୀ ଶ୍ରୀକ୍ଷେତ୍ର ଆସିଥିଲେ। ସେ ଥିଲେ ଗଣପତି ଉପାସକ। ସେ ଯେଉଁଦିନ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ସେଦିନ ଥିଲା ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଚାଲିଥାଏ। ସେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ବିସ୍ମିତ ହୋଇଗଲେ। ଜଗନ୍ନାଥଙ୍କ ଠାରେ ସେ ନିଜ ଆରାଧ୍ୟ ଦେବତା ଗଣପତିଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ଏଥିରେ ନିରାଶ ହୋଇ ସେ ସେଠାରୁ ଚାଲିଯାଇ ଅଠରନଳା ନିକଟରେ ବିଶ୍ରାମ ନେଲେ। ଏହି ସମୟରେ ମହାପ୍ରଭୁ ତାଙ୍କୁ ସ୍ୱପ୍ନାଦେଶ କଲେ। ଶ୍ରୀମନ୍ଦିରକୁ ଫେରିଯାଇ ଗଣପତିଙ୍କୁ ଦର୍ଶନ କରିବାକୁ କହିଲେ। ଏହାପରେ ଗଣପତି ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ। ଏପଟେ ପ୍ରଭୁ ବଡପଣ୍ଡାଙ୍କୁ ସ୍ୱପ୍ନାଦେଶ ଦେଇ ପରମଭକ୍ତ ଗଣପତିଙ୍କୁ ନିମନ୍ତ୍ରଣ କରି ପାଛୋଟି ଆଣିବାକୁ କହିଲେ। ଗଣପତି ସ୍ନାନମଣ୍ଡପରେ ପହଞ୍ଚି ଦେଖିଲେ ପ୍ରଭୁ ଗଜାନନ ବେଶରେ ବସିଛନ୍ତି। ସେ ପ୍ରଭୁଙ୍କ ପାଦତଳେ ପଡ଼ିଯାଇ କହିଲେ, ଧନ୍ୟ, ଧନ୍ୟ ହେ ମହାପ୍ରଭୁ ! ତୁମର କରୁଣା ଅପାର !! ସେହି ସ୍ମୃତିରେ ପ୍ରତିବର୍ଷ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ଗଜାନନ ବା ହାତୀ ବେଶ ହୋଇଥାଏ। ସ୍ନାନମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହେବା ସହ ପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ଦର୍ଶନର ଫଳ ଏକତ୍ର ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଏହାପରେ ରାତିରେ ଶ୍ରୀଜିଉମାନଙ୍କୁ ରତ୍ନସିଂହାସନରେ ଅଧିଷ୍ଠିତ କରାନଯାଇ ଏକାନ୍ତ ଭାବେ ଅଣସର ଘରେ ୧୫ ଦିନ ରଖି ଗୁପ୍ତବିଧି ଅନୁଯାୟୀ ପୂଜା କରାଯାଏ। ଅଣସର ଦିନ ଅବସରରେ ସର୍ବସାଧାରଣଙ୍କୁ ଦର୍ଶନ ନିଷେଧ କରାଯାଏ। କେବଳ ସ୍ୱତନ୍ତ୍ର ଦଇତାପତିମାନେ ଏହି ଗୁପ୍ତ ପୂଜା କରିଥାନ୍ତି। ସ୍ନାନଜନିତ କାରଣରୁ ଠାକୁରମାନେ ଜ୍ୱରରେ ପଡ଼ନ୍ତି। ଅଣସର ଘରେ ସେମାନଙ୍କୁ ପୂର୍ଣ୍ଣ ବିଶ୍ରାମ ଦିଆଯିବା ସହ ବୈଦ୍ୟରାଜଙ୍କ ଦ୍ବାରା ସ୍ବତନ୍ତ୍ର ଚିକିତ୍ସା କରାଯାଇଥାଏ। ଏହାକୁ ଅଣସର ନୀତି କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନରୁ ବଞ୍ଚିତ ରହନ୍ତି। ଏହି ଅବଧିରେ ଭକ୍ତମାନେ ପୁରୀ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି। ଏହି ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ପଟ୍ଟଚିତ୍ର ହିଁ ପୂଜା ପାଆନ୍ତି।
ଏ ସ୍ବତନ୍ତ୍ର ପର୍ବର ମହିମା ଅପାର। ବଖାଣିଲେ ସରିବନି। ଅନନ୍ତ ଏହାର ପରିକଳ୍ପନା, ଅସୀମ ଏହାର ପରିବ୍ୟାପ୍ତି, ଅମାପ ଏହାର ଅବୟବ। ଦିବ୍ୟ ଚେତନାରେ ଉଦ୍ଭାସିତ ଓ ମୁକ୍ତି ପିୟୁଷରେ ପରିପୂର୍ଣ ଏ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆପଣଙ୍କୁ ସପରିବାର, ସବାନ୍ଧବ, ସକୁଟୁମ୍ବ ଅନେକ ଅନେକ ଶୁଭେଚ୍ଛା, ଅଶେଷ ଅଶେଷ ଶୁଭକାମନା ଓ ହାର୍ଦ୍ଦିକ ଅଭିନନ୍ଦନ। ଶ୍ରୀଜିଉଙ୍କର ଏ ସ୍ନାନ ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ଆପଣ ମନଭରି ଖୁବ୍ ଉପଭୋଗ କରନ୍ତୁ ଓ ଅନ୍ୟମାନଙ୍କ ପାଇଁ ଉପଭୋଗ୍ୟର ବାତାବରଣ ସୃଷ୍ଟି କରନ୍ତୁ। ଆଜିର ଏ ପବିତ୍ର ଲଗ୍ନରେ ଶ୍ରୀଜିଉଗଣ ସମଗ୍ର ବିଶ୍ବର ମଙ୍ଗଳ କରନ୍ତୁ ଏବଂ ସମସ୍ତଙ୍କୁ ସ୍ନେହଁ, ପ୍ରୀତି ଓ ମୈତ୍ରୀର ଡୋରିରେ ବାନ୍ଧି ସୁଖ, ଶାନ୍ତି, ସମୃଦ୍ଧିଶିଖରରେ ଅବସ୍ଥାପିତ କରନ୍ତୁ।
ଶ୍ରୀମନ୍ଦିରରେ ପହଣ୍ଡି ଶେଷ ହୋଇଛି । ଚାଲନ୍ତୁ ଏହି ପହଣ୍ଡି ଵିଷୟରେ ଜାଣିବା ।।
।। ଶ୍ରୀମନ୍ଦିରରେ ପହଣ୍ଡି ବିଜେର କ୍ରମ ବିଧି ।।
👉 ପହଣ୍ଡି ବିଜେ ସମୟରେ ଏକ ନିର୍ଦ୍ଦିଷ୍ଟ କ୍ରମ ଅନୁସୃତ ହୋଇଥାଏ । ଏହି ପ୍ରସଙ୍ଗରେ ‘ନୀଳାଦ୍ରି ମହୋଦୟ’ରେ ଉଲ୍ଲେଖ ଅଛି –
ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍
ସୁଭଦ୍ରାଞ୍ଚ ତତୋନିତ୍ବା ଜଗଦୀଶଂ ସୁରେଶ୍ୱରମ୍ ।
👉 ପ୍ରଥମେ ଶ୍ରୀସୁଦର୍ଶନଙ୍କର, ଶ୍ରୀବଳଭଦ୍ରଙ୍କର, ଶକ୍ତିରୂପା ଦେବୀ ସୁଭଦ୍ରାଙ୍କର, ସର୍ବଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କ୍ରମର ବିଧି ଏହି ପରି ଅନୁଷ୍ଠିତ ହୁଏ ।
👉 ଶ୍ରୀବିଗ୍ରହ ମାନେ ଧାଡ଼ି ପହଣ୍ଡିରେ ବିଜେ ହେଉଥିବାରୁ ଶ୍ରୀବିଗ୍ରହମାନଙ୍କର ଗୋଟିଏ ପରେ ଗୋଟିଏ ପଛ କୁ ପଛ ବିଜେ କରିଥାନ୍ତି ।
👉 ସର୍ବପ୍ରଥମେ ଶ୍ରୀସୁଦର୍ଶନ ପହଣ୍ଡି ନୀତି ଆରମ୍ଭ ହୁଏ ।
👉 ଶ୍ରୀବିଗ୍ରହ ମାନେ ଧାଡ଼ି ପହଣ୍ଡିରେ ବିଜେ ହେଉଥିବାରୁ ଶ୍ରୀସୁଦର୍ଶନ ମହାପଭୁ ସାତ ପାହାଚ ଦ୍ବାର ଅତିକ୍ରମ କରିବା ପରେ ଶ୍ରୀବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ ।
👉 କ୍ରମାନ୍ୱୟରେ ଶ୍ରୀବଳଭଦ୍ର ସାତ ପାହାଚ ଦ୍ବାର ଅତିକ୍ରମ କରିବା ପରେ ଶକ୍ତିରୂପା ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୁଏ ।
👉 ସେହିପରି ଦେବୀ ସୁଭଦ୍ରା ସାତ ପାହାଚ ଅତିକ୍ରମ ପରେ ପରେ ସର୍ବଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଆରମ୍ଭ ହୁଏ ।
👉 ଏହାଙ୍କ ପରେ ମହାଜନମାନଙ୍କ ଦ୍ୱାରା ରାମ, କୃଷ୍ଣ , ଶ୍ରୀମଦନମୋହନ ବିଜେ ହେବେ ।
👉 ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ପୂର୍ବାଭିମୁଖୀ ହୋଇ ଚକାବିଜେ କରନ୍ତି ।
👉 ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ପାଖରେ ଶ୍ରୀ ମଦନମୋହନ ଏବଂ ବଳଭଦ୍ରଙ୍କ ପାଖରେ ରାମ, କୃଷ୍ଣ ବିରାଜମାନ କରନ୍ତି ।
ଅସ୍ୱୀକାରୋକ୍ତି (Disclaimer):
ଏହି ୱେବସାଇଟ୍ରେ ପ୍ରକାଶିତ ସମସ୍ତ ସମାଚାର, ରାଶିଫଳ, ମତାମତ ଓ ବିଶ୍ଲେଷଣଗୁଡିକ କେବଳ ସାଧାରଣ ତଥ୍ୟ ଓ ଜଣାଇବା ପାଇଁ ଦିଆଯାଇଛି। ଏହାକୁ ଅନୁସରଣ କରିବା ଅପରିହାର୍ଯ୍ୟ ନୁହେଁ। ଦୟାକରି ବ୍ୟକ୍ତିଗତ ବିଚାରଧାରା, ପ୍ରଯୁଜ୍ୟ ନିୟମ ଓ ବୃହତ୍ ସନ୍ଦର୍ଭରେ ବିବେଚନା କରନ୍ତୁ। ଓଡ଼ିଆନ୍ୟୁଜ୍.କୋ.ଇନ୍ ଏହି ସୂଚନାର ବ୍ୟବହାର ସହିତ ଜନିତ କୌଣସି ପ୍ରତିକୁଳ ପରିଣାମ ପାଇଁ ଦାୟୀ ନୁହେଁ।